*ନୂଆଦିଲ୍ଲୀଠାରେ ୨୦୧୫ ଆନ୍ତର୍ଜାତୀୟ ମାତୃଭାଷା ଦିବସରେ "ଇଣ୍ଟରନ୍ୟାସନାଲ କନକ୍ଲେଭ ଅଫ ଓଡ଼ିଆ ଲାଙ୍ଗୁଏଜ" ସମ୍ମିଳନୀରେ ଲେଖକଙ୍କ ଅଭିଭାଷଣକୁ ନେଇ ଏହା ରଚିତ ।*ଉଇକିପାଠାଗାର ଉଇକିପିଡ଼ିଆ ତଥା ଓଡ଼ିଆ ଉଇକିମିଡ଼ିଆ ସମୂହର ବିଭିନ୍ନ କାମ ବିଷୟରେ ବର୍ଣିତ ବିଷୟକୁ ନେଇ ଏ ଲେଖାଟି YourStory ରେ ପ୍ରକାଶିତ ହୋଇଥିଲ । ଏହା CC-BY-SA 4.0 ଲାଇସେନ୍ସରେ ପ୍ରକାଶିତ ।
ଏ ଦେଶ ସ୍ୱାଧୀନ ହେବାବେଳକୁ କଳିଙ୍ଗର ପତିଆରା ବାରମ୍ବାର ଭୁଲୁଣ୍ଠିତ ହୋଇ ତା'ର ସୀମା ମଧ୍ୟ ସଙ୍କୁଚିତ ହେଲାଣି । ଦିନେ ଗଙ୍ଗାରୁ ଗୋଦାବରୀ ଯାଏ ଲମ୍ବିଥିବା ଭୂଖଣ୍ଡ ୧୮୫୫ ବେଳକୁ କମି କମି ଆସି ଏବେର ଓଡ଼ିଶା ଆଉ ତାକୁ ବେଢ଼ି ରହିଥିବା ଗୟା, ଉତ୍ତର ଛୋଟନାଗପୁର (ହଜାରିବାଗ), ପୁରୁଲିଆ, ବାଙ୍କୁଡ଼ା, ମେଦିନୀପୁର, ଦକ୍ଷିଣ ଛୋଟନାଗପୁର (ରାଞ୍ଚି), କୋହ୍ଳଣ (ସିଂହଭୂମି), ସରଗୁଜ, ପାଲାମୁ, ବିଳାସପୁର, ରେବା, ଜବଲପୁର, ଦୁର୍ଗ, ରାଇପୁର,ଭୋପାଳ, ଉଜ୍ଜୟିନୀ, ଇନ୍ଦୋର, ବେରାର (ଅମରାବତୀ), ନାଗପୁର, ତେଲେଙ୍ଗାଣା, ଉତ୍ତର ସରକାର ଓ ବସ୍ତର ଆଦି ଅଞ୍ଚଳ ଭିତରେ ସୀମିତ ହେଲା । ଏ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳର ମାନଚିତ୍ର ଓଡ଼ିଶା ପାଇଁ କାଳ ସାଜିଥିବା ସେଇ ବ୍ରିଟିସମାନେ ତିଆରିଥିଲେ । ତେବେ ୧୯୩୬ ଏପ୍ରିଲ ପହିଲାରେ କିଛି ବର୍ଷ ହେଲା ତେଜିଥିବା ଓଡ଼ିଆ ଭାଷା ଆନ୍ଦୋଳନକୁ ଅନ୍ତ କରିବା ପାଇଁ ଓଡ଼ିଶା ପ୍ରଦେଶ ଗଠନ କରାଗଲା । କହିବା ବାହୁଲ୍ୟ ଓଡ଼ିଆ ଭାଷୀ ଦିଗୁଣା ଅଞ୍ଚଳ ଓଡ଼ିଶା ଭିତରେ ରହିଲା ନାହିଁ । ଆଜି ସେ ଅଞ୍ଚଳ ରାଜଭାଷା ଭାବେ ଉକ୍ତ ରାଜ୍ୟର ଭାଷା ଆମ ଲୋକଙ୍କ ଉପରେ ମଡ଼ାଯାଇଛି ସିନା, ଏବେ ବି ଝାଡ଼ଖଣ୍ଡର ଜାମସେଦପୁର କିମ୍ବା ରାଞ୍ଜି ହେଉ କିମ୍ବା ଆନ୍ଧ୍ରର ବିଜୟନଗର ହେଉ ସବୁଠି ଓଡ଼ିଆପଣ ଉଣାଅଧିକେ ଲୁଚିରହିଛି ସାଧାରଣ ଲୋକଙ୍କ ଭିତରେ । ତେବେ ଓଡ଼ିଆ ଭାଷା ତାର ପୁରୁଣାପଣର ଗରିମା ଦେଖାଇ ୨୦୧୩ ଫେବୃଆରୀ ୨୦ ବେଳକୁ ଶାସ୍ତ୍ରୀୟ ମାନ୍ୟତା ଲଭିଲା । ହେଲେ ଓଡ଼ିଆ ସହ ସାମଞ୍ଜସ୍ୟ ଥିବା ଭାଷା ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ଯେ ଓଡ଼ିଆର ପୁରୁଣା ରୂପରେ କେତେ କେତେ ଶବ୍ଦ ଓ ବାକ୍ୟଗଠନର ଛାଞ୍ଚ ଆହରିଛନ୍ତି ତା'କୁ କାଟି ଦିଆଗଲା ଏ ଶାସ୍ତ୍ରୀୟ ମାନ୍ୟତା ଦେବାବେଳକୁ । ଏ ଥିଲା ଆଉ ଏକ ଝଡ଼ । ବଙ୍ଗଳା, ତେଲୁଗୁ ଆଉ ହିନ୍ଦୀ ଆଗର ଓଡ଼ିଆଭାଷୀ ଅଞ୍ଚଳର ଭାଷା (ମୁଖ୍ୟ ଓଡ଼ିଆ ନ ହେଲେ ହେଁ ଓଡ଼ିଆଭାଷୀ ଅଞ୍ଚଳର କଥିତ ବୋଲି)ଙ୍କଠୁ ଅନେକ ଆହରି ପୁଷ୍ଟ ହୋଇଛନ୍ତି । ଏକଥାଟି ଏବେ ସେ ତିନୋଟି ନବୀନ ଭାଷା ଶୁଣିଲେ କାନରେ ବାଜେ । ଓଡ଼ିଆ କେବେ ଏ ଭାଷାମାନଙ୍କ ବୋଉ ବୋଲାଇବାକୁ ଆଣ୍ଟ କରିନଥିଲା, ହେଲେ ଭାଷା ସହ ଭାଷାର ପୁରୁଣା ଭାବ ଅଭିନ୍ନ । ଆଜି ପୁରୀରେ ରଥ ଚଳିଲେ ବଙ୍ଗାଳୀ ଛୁଆଟେ ବି କଲିକତାରେ କୁନି ରଥ ଟାଣେ । ଅତୀତରେ ଯୋଡ଼ି ହୋଇ ରହିଥିବା ଏକ ଘରର ଲୋକଙ୍କୁ ଏକାଠି ନ ଆଣି ଏକଘରିକିଆ କରି ସେମାନଙ୍କୁ ଅଲଗା ଅଲଗା ଦେଖାଇବାରେ କେଉଁ ବଡ଼ ପଣ? ଆଜି ଏଇ ସୀମିତ ପ୍ରଦେଶବାସୀ ଓ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଭାଷୀ ଲୋକଙ୍କ ସଂଖ୍ୟା ୪ କୋଟିରୁ କିଛି ଅଧିକ। ଏତେ ବିଶାଳ ଲୋକସଂଖ୍ୟା ଏ ଦେଶର ଜନସଂଖ୍ୟାର ୨୮ ଭାଗରୁ ଭାଗେ । ତେବେ ଛ'ଟି ପୁରୁଣା ଭାଷା ଭିତରୁ ଏକ ହୋଇ ମଧ୍ୟ ଓଡ଼ିଆ ପାଇଛି କଣ? ଆଜିର ଓଡ଼ିଆ ମିଡ଼ିଆ ବୋଲି କିଛି ନାହିଁ କହିଲେ ଚଳେ । ଟେଲିଭିଜନ ଓ ଖବରକାଗଜରେ ସମ୍ବାଦ ଲେଖାହେବା ବେଳେ ଓଡ଼ିଆର ବାକ୍ୟଗଠନ ଶୈଳୀ ଓ ଶବ୍ଦସମ୍ବାରକୁ ଅଣଦେଖା କରି ହିନ୍ଦୀ ଚ୍ୟାନେଲରୁ ବାକ୍ୟ-ଶବ୍ଦ-ବାକ୍ୟଗଠନ ଢାଞ୍ଚା ସହ ଅନୁବାଦ କରିଦିଆଯାଏ । ଇଂରାଜୀ କିମ୍ବା ଅନ୍ୟ ଶବ୍ଦର ମାନକ ବନାନ କଣ ନିର୍ଦ୍ଧାରିତ ହୋଇ ନପାରିବାରୁ ଭଳିକି ଭଳି ବନାନ ଦେଖିବାକୁ ମିଳୁଛି ଖବରକାଗଜରେ । ବିଦେଶୀ ଭାଷା କଥା ରହିଲା, ଓଡ଼ିଆ ଶବ୍ଦର ବନାନ ମଧ୍ୟ ମାନକ କରାଯାଇନାହିଁ । ଦିନେ ଓଡ଼ିଶାରେ ନିଜର ଏକ ସମ୍ପୂର୍ଣ୍ଣ ମାପପଦ୍ଧତି ଥିଲା । ଆଜି ସେ ସେର, ମାଣ, ଗଉଣି, ଗଜ କେବଳ ସାହିତ୍ୟର ଚଉହଦୀ ଭିତରେ ହଜିଗଲାଣି । ମାନକ କରାଯାଇପାରିଥିଲେ ସାରା ଜଗତରେ ଜମିମାପଠୁ ନେଇ ଚାଉଳ ମାପ ଯାଏ ଓଡ଼ିଶାର ଏ ନିଜ ବୈଜ୍ଞାନିକ କୌଶଳଟିର ଖାଦି ବଢ଼ିଥାନ୍ତା । ଓଡ଼ିଆ ଭାଷା ବୋଇଲେ ଅନେକେ କେବଳ ସାହିତ୍ୟକୁ ବୁଝନ୍ତି । ଭାଷାକୁ ନେଇ ସାହିତ୍ୟ। ସାହିତ୍ୟକୁ ନେଇ ଭାଷା ନୁହେଁ। ଆଉ ଭାଷାଟି କେବଳ ଲୋକ ମୁଖର ଭାଷା ନୁହେଁ, ବରଂ ରାଜଭାଷା ବା ଅଫିସରେ କାମ କରିବାର ଭାଷା ହେବା କଥା । ଏକ ଭାଷାରେ ସେ ଭାଷାଭାଷୀ ଅଞ୍ଚଳର ସବୁତକ କାମ ହେବା ଜରୁରୀ । ଓଡ଼ିଆ ଭାଷାରେ ରାଶି ରାଶି ବହି ଛପାଯାଇଥିବ । ତା' ଭିତରୁ କେତେ ବିରଳ ବହି ଗୋଟେ କି ଯୋଡ଼େ ଲାଇବ୍ରେରିରେ ରହିଥିବ କି ନାହିଁ । ଧୀରେ ଧୀରେ ମରିଯିବାକୁ ବସିଥିବା ସେ ବହିସବୁର ଡିଜିଟାଲ କପି ତିଆରି କରାଗଲାଣି କି? ଓଡ଼ିଶାରେ ଏବେ ବି ଦେଢ଼ ଲକ୍ଷରୁ ଅଧିକ ପୋଥି କେବଳ ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟରେ ରହିଛି । ଗାଁ ଗଣ୍ଡାରେ ପୂଜାପାଣି ପାଇ ନଷ୍ଟ ହୋଇଯାଉଥିବା ପୋଥିକି ବାଦ ଦେଲେ ମଧ୍ୟ ଏତକ ପୋଥି ଜଗତର ସବୁଠୁ ଅଧିକ ତାଳପତ୍ର ପୋଥି । ଭାଷାଟିଏ କେବଳ ବୟସ୍କ ଲୋକଙ୍କ ଭିତରେ ସୀମିତ ହେବା ଆରମ୍ଭିଲେ ସେ ଭାଷା ମରଣ ଆଡ଼କୁ ମୁହାଁଇଲା ବୋଲି ମାନିନେବାକୁ ହେବ । ଓଡ଼ିଆ ଭାଷା ପାଇଁ ମରଣର ଡରଟି ପୂରାପୂରି ନଥିଲେ ମଧ୍ୟ ଯୁବା ମୁଖରେ ଆଉ କହିବା ଦେଖିବାକୁ ମିଳୁନି । ଦିଲ୍ଲୀରେ ଥିବା ୭ ଲକ୍ଷ ଓଡ଼ିଆଙ୍କ ଘରେ ଯେ ପିଲାଏ ହିନ୍ଦୀ କହନ୍ତି ନାହିଁ ତା' ସଭିଏଁ ଜାଣନ୍ତି । ତେବେ ଓଡ଼ିଶାର ମଫସଲରୁ ସହର ଯାଏ ଓଡ଼ିଆ ମିଡ଼ିଆର ଅପାରଗତା ନିମନ୍ତେ ତିଆରି ଫାଙ୍କା ବିଳରେ କେବେ ତେଲୁଗୁ ତ କେବେ ହିନ୍ଦୀ ପଶିଗଲାଣି । ଏମିତି ଆଉ କେଇ ବର୍ଷ ମାଡ଼ିଗଲେ ଏତେ ପୁରୁଣା ଓ ସମୃଦ୍ଧ ଭାଷା ହୋଇ ସୁଦ୍ଧା ମୈଥିଳୀର ଯେଉଁ ପରିଣତି ଓଡ଼ିଆର ସମଦଶା ଯେ ନ ହେବ କିଏ କହିବ? ଓଡ଼ିଆକୁ କମ୍ପୁଟର, ଇଣ୍ଟରନେଟ ଓ ମୋବାଇଲରେ ବ୍ୟବହାର କରିବା କଥା ବୋଧେ ଅନେକଙ୍କୁ ଅଜଣା । ଇଂରାଜୀରେ କାମ ତ ଚଳିଯାଉଛି, ଓଡ଼ିଆରେ ଲେଖିଦେଲେ ଆଉ ଅଧିକ କଣଟା ହୋଇଯିବ? ଓଡ଼ିଆରେ ଟାଇପ କରିବା ବୋଇଲେ ଉଣାଅଧିକେ ଆକୃତି, ଶ୍ରୀଲିପି କଥା ବୁଝନ୍ତି । ୧୦-୧୫ ବର୍ଷ ତଳେ ଇଉନିକୋଡ଼ ନାମକ ମାନକର ଗୁରୁତ୍ତ୍ୱ ବୋଧେ କେହି ଜାଣୁନଥିଲେ । ତେବେ ପ୍ରକାଶିତ ଲେଖା ଯେ ଅଧିକ ଲୋକଙ୍କ ପାଖରେ ପହଞ୍ଚୁ ଏ ଅଭିଳାଷା କରୁଥିବା ଲୋକେ ଯଦି ଆଗ ଭଳି ସେଇ ଆକୃତି, ଶ୍ରୀଲିପିରେ ଲେଖିବସିବେ ତାହେଲେ ସେସବୁ ଗୁଗୁଲରେ ଖୋଜିହେବ ନାହିଁ କିମ୍ବା ସହଜରେ ପୁନବ୍ୟବହାର କରିହେବ ନାହିଁ । ସେ ମାନକ ସବୁ ଜଗତ ମାନକ ଦୃଷ୍ଟିକୋଣରୁ ଅଚଳନ୍ତି, କିନ୍ତୁ ଓଡ଼ିଶାରେ ୯୯ ଭାଗରୁ ଅଧିକ କାମ ସେଇ ଅଣ-ଇଉନିକୋଡ଼ ମାନକରେ ହୁଏ । ଅସୁବିଧାଟି ହେଉଛି ଆଜି ଇଣ୍ଟରନେଟରେ ବାକି ଭାଷାର ଅନେକ କାଟତି, ହେଲେ ଓଡ଼ିଆରେ ଅନେକ ଲେଖା ଥାଇ ମଧ୍ୟ ଖୋଜିଲେ ମିଳେ ନାହିଁ । ଲୋକେ ସେ ପୁରୁଣା ଟେକନୋଲୋଜିକୁ ଛାଡ଼ିବାକୁ ଏତେ କୁଣ୍ଠାକଲେ ଯେ ଶେଷକୁ ଆକୃତିରୁ ଇଉନିକୋଡ଼କୁ ରୂପାନ୍ତର ପାଇଁ ଗୋଟେ କନଭର୍ଟର <https://or.wikipedia.org/wiki/WP:Converter>ତିଆରିବାକୁ ପଡ଼ିଲା । ଓଡ଼ିଆରେ ଆନିମେସନ ଫିଲ୍ମ ବୋଲି ଜିନିଷଟି ଆଜି ଯାଏ ପିଲାଙ୍କ ପାଖରେ ପହଞ୍ଚିପାରିଲା ନାହିଁ କିମ୍ବା "ଟମ ଆଣ୍ଡ ଜେରି" କି ଆଉ ଅନେକ ବିଶ୍ୱସ୍ତରର ଜଣାଶୁଣା କାର୍ଟୁନ ଓଡ଼ିଆରେ ଡବିଙ୍ଗ ହେଲାନାହିଁ । ଫଳତଃ ବାକି ଭାଷାରେ ଉପଲବ୍ଧ ସେ ଚ୍ୟାନେଲସବୁ ପିଲାଙ୍କ ମନମୋହିଲା ଆଉ ଆମ ଭାଷା ମାରିଲା । ତେବେ ସରକାରଙ୍କ ତରଫରୁ ଉପର ବର୍ଣ୍ଣିତ ଏ ଭାଷା-ବାଧକ ରୋକିବା ସକାଶେ କୌଣସି କାମ ହାତକୁ ନିଆଯାଇନାହିଁ । ବରଂ ଓଡ଼ିଆକୁ ବିଭାଜନ କରିବା ପାଇଁ ଗତ ବର୍ଷ ସମ୍ବିଧାନର ୮ମ ପରିଚ୍ଛେଦରେ ସାମିଲ କରାଇ କୋଶଳୀ ନାମରେ ଏକ ସମ୍ପୂର୍ଣ୍ଣ ନୂଆ ଭାଷା ତିଆରିବା ନିର୍ବାଚନ ଇସ୍ତାହାରରେ ପ୍ରକାଶ ପାଇଥିଲା । ଭାଷା ଗଛ ଭଳି । ଗଛ ମୂଳରେ ଜଳଦେଲେ ଶାଖା ପ୍ରଶାଖା ବଢ଼େ, ଶାଖାରୁ ଶିଖିଲା ପତ୍ର ଛିଣ୍ଡାଇଲେ ସିନା ଲାଭ । ତାକୁ କାଟି ପକାଇଲେ କି ହେବ? ତେବେ ସମାଧାନ କଣ? ସରକାରଙ୍କୁ ଚାହିଁବା ଆକାଶ କଇଁଆ । ବ୍ୟକ୍ତିଗତ ଉଦ୍ୟମରେ ବେଶି କିଛି କରିବା କାଠିକର ପାଠ । ଦଳ ବାନ୍ଧି, ସଙ୍ଗଠନ ଗଢ଼ି କିଛି କରାଯାଇପାରେ । ଦଳବଦ୍ଧ କାମ ସଫଳ ହେବା ନଜିର ଆଗରୁ ମଧ୍ୟ ରହିଛି । ଆମ ଭାଷା ପାଇଁ ବଡ଼ ବାଧକ ହେଲା ଲୋକ ତୁଣ୍ଡରେ ଭାଷାଟି କୁହାହେବା । ତେବେ ନିଜ ବ୍ୟାକରଣ ନିଜେ ଗଢ଼ି ଲୋକତୁଣ୍ଡରେ କଥିତ ଭାଷାକୁ ସମ୍ମାନ ଦେଲେ ସିନା ଭାଷାଟି ଅଧିକ ଆଦର ଲଭିବ । ଆମେ ଯଦି ନିଜ ନିଜ ଭିତରେ ବାଲେଶ୍ୱରିଆ, ବରମପୁରିଆ, କଟକିଆ, ସମ୍ବଲପୁରିଆ ହେବା ତାହେଲେ ପାଚେରି ଠିଆ ହେବା ସାର । ଓଡ଼ିଆ ଶାସ୍ତ୍ରୀୟ ହେବା ପରେ ଆମ ପାଇଁ ଭାଷାକୁ ସଂଖାରିବା ସୁଯୋଗ ଆସିଛି । ଯଦି ଆମେ ଏକ ମନ ହୋଇ ସୋଜା ଶବ୍ଦ ବଦଳରେ ବ୍ୟବହାର କରା ହେଉଥିବାବ ବହିରାଗତ ତତସମ, ତଦଭବ ଭାରୀ ଶବ୍ଦ କାଢ଼ି ଆମ ନିଜ ଶବ୍ଦସବୁକୁ ବ୍ୟବହାର କରିବା ସାଧାରଣ ଲୋକଙ୍କ ପାଇଁ ଭାଷା ଶିକ୍ଷା ଏତେ ପୀଡ଼ାକର ହେବ ନାହିଁ । ଆମ ଦୁର୍ଭାଗ୍ୟ ଆମ ଭାଷାରୁ ବହୁ ପ୍ରଚଳିତ ଅନେକ ସୁଗଠିତ ବିଭବତକ ବଦଳାଇ ଆମ ଉପରେ ଅନ୍ୟ ଭାଷାରୁ ଓଜନିଆ ଶବ୍ଦ ସବୁ ଲଦିଦିଆଯାଇଥିଲା । ଯୁଗ ବଦଳିଲାଣି । ଆମେ ଆଉ ଭାଷା-ପରାଧୀନ ହୋଇ ନାହୁଁ ଆଜି । ଦିନେ ଲଦାଯାଇଥିବା ଶବ୍ଦସବୁକୁ ପୁଞ୍ଜିକରି ରକ୍ଷଣଶୀଳ ହୋଇ ବସିଲେ ଆମ ପିଲାଙ୍କ ତୁଣ୍ଡରେ ବାକି ଭାଷା ସଳଖେ ପଇଟିବ ହେଲେ ଆମ ନିଜ ଭାଷାଟି ପର ହେବ । ଏ ଅସୁବିଧାଟି ଆରମ୍ଭ ହେଲାଣି । ପିଲେ ଓଡ଼ିଆକୁ ପୂରା ଭୁଲିଯିବା ଆଗରୁ ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ । ଆଜିର ପିଢ଼ି ମୋବାଇଲ, କମ୍ପୁଟର, ଇଣ୍ଟରନେଟ ଦେଇ ସବୁ ଜାଣେ । ୨୦୧୧ ମସିହାରେ ଓଡ଼ିଆ ଭାଷାରେ ଉଇକିପିଡ଼ିଆ ଭଳି ବିଶ୍ୱସ୍ତରୀୟ ପ୍ରକଳ୍ପ ଆରମ୍ଭ ହେଲାଣି । or.wikipedia.org ରେ ଉପଲବ୍ଧ ଥିବା ଏହି ପ୍ରକଳ୍ପ ମିଳିତ ଉଦ୍ୟମରେ ଇଣ୍ଟରନେଟରେ ଏକ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ତିଆରିବାର ଅଭିଳାଷା ପୋଷଣ କରି ଆଜି ୮୬୦୦ରୁ ଅଧିକ ପ୍ରସଙ୍ଗରେ ଭରା । ଏଥିରେ ଯୋଗ ଦେଇ ଓଡ଼ିଆ ଭାଷାରେ ଅନେକ ତଥ୍ୟ ଖବରକାଗଜ, ବହି ଏବଂ ପତ୍ରପତ୍ରିକାରୁ ବିଭିନ୍ନ ଆଧାରରୁ ଆଣି ଉଇକିପିଡ଼ିଆକୁ ସମୃଦ୍ଧ କରୁଥିବା ୧୫ରୁ ଅଧିକ ଉଇକିଆଳି (କର୍ମୀ ସମ୍ପାଦକ) ନିକଟରେ ଓଡ଼ିଆ ଉଇକିପାଠାଗାର ନାମକ ନୂଆ ଏକ ପ୍ରକଳ୍ପ ଆରମ୍ଭିଛନ୍ତି । or.wikisource.org ରେ ଉପଲବ୍ଧ ଥିବା ଏହି ପ୍ରକଳ୍ପ କପିରାଇଟ ନ ଥିବା ଓଡ଼ିଆ ବହିମାନ ଇଣ୍ଟରନେଟରେ ଉପଲବ୍ଧ କରିବା ଲାଗି ତିଆରି । ତେବେ ଏଭଳି ପ୍ରକଳ୍ପରେ ଅଧିକ କର୍ମୀଙ୍କ ଯୋଗଦାନ ଲୋଡ଼ା । ଅଧିକ ଲୋକ ଭାଗନେଲେ ଅଧିକ ଲେଖା/ବହି ବଢ଼ିବ ଆଉ ପାଠକ ବଢ଼ିବେ । ଓଡ଼ିଆରେ ଅଧୁନା ଇଣ୍ଟରନେଟରେ ଇଉନିକୋଡ଼ରେ ଟାଇପ ହୋଇଥିବା ବେଶି ଲେଖା ନଥିବାରୁ ଲୋକେ ଗୁଗୁଲରେ କିଛି ଖୋଜିଲେ ମଧ୍ୟ ମିଳୁନାହିଁ । ଯଦି ଆମ ଖବରକାଗଜମାନ ନିଜ ଖବରକୁ ଇଉନିକୋଡ଼ରେ ଦିଅନ୍ତେ ଓଡ଼ିଶା ବାହାରେ ଥିବା ଲକ୍ଷ ଲକ୍ଷ ପାଠକ ତାହା ଖୋଜିପାଆନ୍ତେ ଓ ପୁରୁଣା ଅଭିଲେଖରେ ଥିବା ପାଠ ଖୋଜିଲା ବେଳେ ପାଆନ୍ତେ । bitly.com/akrutiodia ରେ ଆକୃତିରେ ଟାଇପ ହୋଇଥିବା ଲେଖା ଓ bitly.com/shreelipi ରେ ଶ୍ରୀଲିପିରେ ଟାଇପ ହୋଇଥିବା ଲେଖାକୁ ସିଧାସଳଖ ଇଉନିକୋଡ଼ରେ ବଦଳାଇ ହେବ । ନିୟମିତ ପଢ଼ୁଥିବା ଓ ଲେଖୁଥିବା ଲୋକେ ଇଣ୍ଟରନେଟରେ ବ୍ଲଗ ଆଦି ଲେଖିପାରିବେ, ଫେସବୁକରେ, ଇମେଲରେ ଓଡ଼ିଆରେ ଲେଖିପାରିବେ । ଆମ ଓଡ଼ିଆରେ ଏକ ନିଆରା ଗଢ଼ଣ ଶୈଳୀ ଅଛି । ବାକି ଭାଷାରେ ଲମ୍ବା ଜଟିଳ ବାକ୍ୟ ଥିବା ବେଳେ ଆମ ବାକ୍ୟଗଢ଼ା ଛୋଟ । ଅନ୍ୟ ଭାଷାରୁ ଶବ୍ଦ ଆହରିଲେ ଚଳିବ, ହେଲେ ଅନ୍ୟ ଭାଷାରୁ ତାଙ୍କ ବାକ୍ୟ ଗଢ଼ା ଆଣିଲେ ଆମ ନିଆରାପଣ ମାରା । ତେଣୁ କହିଲା ବେଳେ ଏତକ ଜଗିଲେ ଆମ ପର ପିଢ଼ି ପାଇଁ ମଙ୍ଗଳ । ଏବେ ବେଳ ଅଛି, ଗୁଡ଼ ନେଡ଼ିରୁ ପୂରା ଗଡ଼ିନି । ଟିକେ ଜଗିଗଲେ ଭାଷାଟି ଆହୁରି ଅନେକ କାଳ ଲୋକଙ୍କ ଭାଷା ହୋଇ ରହିବ । Subhashish Panigrahi @subhapa http://psubhashish.com _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
